Add parallel Print Page Options

42 ଯେତେବେଳେ ସେମାନେ ଗେରୁତ୍ତ୍ୱକିମହମରେ ଥିଲେ ସେତେବେଳେ ଯୋହାନନ୍ ଓ ହୋଶୟିୟର ପୁତ୍ର ଯାସନିୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଗଲେ। ସେ ସମସ୍ତ ଲୋକ ତାଙ୍କୁ କହିଲେ, “ହେ ଯିରିମିୟ, ଆମ୍ଭେମାନେ ତୁମ୍ଭକୁ ନିବେଦନ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭେମାନେ ଅନେକ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ। ଆଉ ଆମ୍ଭମାନଙ୍କର କେଉଁ ପଥରେ ଯିବା ଉଚିତ୍ ଓ କେଉଁ କାର୍ଯ୍ୟ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।”

ତା’ପରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କର କଥା ଶୁଣିଲି। ଆଉ ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସାରେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହାବି ଉତ୍ତର ଦେବେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ ରଖିବି ନାହିଁ।”

ତା’ପରେ ସେମାନେ ଯିରିମିୟଙ୍କୁ କହିଲେ, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସାରେ ଯେବେ ଆମ୍ଭେମାନେ କର୍ମ ନ କରୁ, ତେବେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷରେ ସତ୍ୟ ଓ ବିଶ୍ୱସ୍ତ ସାକ୍ଷୀ ହୁଅନ୍ତୁ। ସେହି ବାକ୍ୟ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ। କାରଣ ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହେବ।”

ଅନନ୍ତର ଦଶ ଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। ତା’ପରେ ଯିରିମିୟ କାରେହର ପୁତ୍ର ଯୋହାନ‌‌‌ନ୍‌‌‌କୁ, ତାହାର ସଙ୍ଗୀ ସମସ୍ତ ସେନାପତିଙ୍କୁ ଓ ଛୋଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡାକି କହିଲେ। “ତୁମ୍ଭେମାନେ ମୋତେ ଯେଉଁ ସଦାପ୍ରଭୁଙ୍କ ନିକଟକୁ ନିବେଦନ କରିବାକୁ ପଠାଇଥିଲ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, 10 ‘ଯଦି ତୁମ୍ଭେମାନେ ଯିହୁଦାରେ ବାସ କର, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ୱଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ୟ ଆଣିଥିବାରୁ ଦୁଃଖିତ। 11 ତୁମ୍ଭେମାନେ ଯେଉଁ ବାବିଲ ରାଜାଙ୍କୁ ଭୟ କରୁଥିଲ, ତାଙ୍କୁ ଆଉ ଭୟ କର ନାହିଁ।’ ସଦାପ୍ରଭୁ କହନ୍ତି, ‘ତାଙ୍କୁ ତୁମ୍ଭେମାନେ ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ। 12 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା। ସେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇ ତୁମ୍ଭମାନଙ୍କୁ ଏହି ଦେଶକୁ ଫେରାଇ ଆଣିବେ।’ 13 ଆଉ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ଏ ଦେଶରେ ବାସ କରିବା ନାହିଁ,’ ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରୁଛ। 14 ଆଉ ମଧ୍ୟ ତୁମ୍ଭେମାନେ ଯଦି କହିବ, ‘ଆମ୍ଭେମାନେ ମିଶର ଦେଶକୁ ଯିବା ଓ ସେଠାରେ ବାସ କରିବା, ସେଠାରେ ଆମ୍ଭେମାନେ ଯୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସେଠାରେ ଆମ୍ଭେମାନେ ଖାଦ୍ୟର ଅଭାବ ଭୋଗିବା ନାହିଁ।’ 15 ଏଣୁ ହେ ଯିହୁଦାର ଲୋକେ, ତୁମ୍ଭେମାନେ ଏବେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେମାନେ ମିଶରକୁ ଯିବା ପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ। 16 ତୁମ୍ଭେମାନେ ଯେଉଁ ‌‌ଖ‌ଡ଼୍‌ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପଛେ ପଛେ ଯାଇ ମିଶରରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷୟରେ ତୁମ୍ଭେମାନେ ଭୟଭୀତ, ତାହା ମିଶର ଦେଶରେ ତୁମ୍ଭମାନଙ୍କ ପଛେ ପଛେ ଲାଗି ରହିବ ଓ ସେହିଠାରେ ତୁମ୍ଭେମାନେ ମରିବ। 17 ଯେଉଁମାନେ ମିଶରରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ପାଇଁ ଏହି ପ୍ରକାର ଘଟିବ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର ପାଇବେ ନାହିଁ।’

18 “ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିରୁଶାଲମର ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସେହିପରି ଯେଉଁମାନେ ମିଶରରେ ପ୍ରବାସ କରିବେ, ଆମ୍ଭେ ସେମାନଙ୍କ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢାଳିବା। ଆଉ ତୁମ୍ଭେମାନେ ଅଭିଶପ୍ତ, ବିସ୍ମୟ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଦେଖିବ ନାହିଁ।’

19 “ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହିକଥା କହି ଅଛନ୍ତି, ‘ତୁମ୍ଭେମାନେ ମିଶରକୁ ଯାଅ ନାହିଁ।’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ। 20 ପୁଣି ତୁମ୍ଭେମାନେ ନିଜ ନିଜ ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା ପାଳନ କରିବୁ।’ 21 ତେଣୁ ଆଜି ସଦାପ୍ରଭୁଙ୍କ ସେହି ବାକ୍ୟ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ବାକ୍ୟ ପ୍ରତି ଧ୍ୟାନ ଦେଲ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ୱର ଯାହା କରିବାକୁ ମୋତେ କହି ପଠାଇଲେ, ତାହା ତୁମ୍ଭେମାନେ କଲ ନାହିଁ। 22 ଏଣୁ ଏବେ ନିଶ୍ଚୟ ଜାଣ, ଯେଉଁ ସ୍ଥାନରେ ପ୍ରବାସ କରିବା ନିମନ୍ତେ ତୁମ୍ଭେମାନେ ଇଚ୍ଛା କରୁଛ, ସେହି ମିଶରକୁ ଯାଅ। କିନ୍ତୁ ଏହା ନିଶ୍ଚୟ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ।”