Add parallel Print Page Options

ମୋଶା ପବିତ୍ର ତମ୍ବୁ ସ୍ଥାପନ କଲେ

40 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର। ତା’ ମଧ୍ୟରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। ଏହା ପରେ ମେଜ ଭିତରକୁ ଆଣି ତହିଁର ସମସ୍ତ ଦ୍ରବ୍ୟମାନ ସଜାଇ ରଖ। ଦୀପରୁଖା ଆଣ ଏବଂ ସମସ୍ତ ଦ୍ୱୀପଗୁଡ଼ିକ ଜାଳିବା ପାଇଁ ରଖ। ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।

“ଆଉ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖରେ ହୋମବଳି ରଖିବ। ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟରେ ପ୍ରକ୍ଷାଳନ ପାତ୍ର ରଖି ତହିଁରେ ଜଳ ଦେବ। ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।

“ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତମ୍ବୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କର ଓ ଉତ୍ସର୍ଗିତ କର। ତହିଁରେ ତମ୍ବୁ ଓ ତାହାର ସାମଗ୍ରୀ ପବିତ୍ର ହେବ। 10 ଆଉ ହୋମବେଦି ଓ ତହିଁର ସକଳ ସାମଗ୍ରୀ ଅଭିଷେକ କରି ଉତ୍ସର୍ଗିତ କର। ତହିଁରେ ସେହି ଯଜ୍ଞବେଦି ଅତ୍ୟନ୍ତ ପବିତ୍ର ହେବ। 11 ଆଉ ତୁମ୍ଭେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।

12 “ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ-ତମ୍ବୁର ଦ୍ୱାର ଦେଶକୁ ଆଣ। ତାଙ୍କୁ ପାଣିରେ ସ୍ନାନ କରାଅ। 13 ଏହା ପରେ ହାରୋଣଙ୍କୁ ସେହି ପବିତ୍ର ବସ୍ତ୍ର ପରିଧାନ କରାଅ। ତା’ପରେ ତାକୁ ଅଭିଷିକ୍ତ ଓ ଉତ୍ସର୍ଗିତ କର ଏବଂ ସେ ମୋର ଯାଜକ ହେବ। 14 ଏହା ପରେ ହାରୋଣଙ୍କର ପୁତ୍ରଙ୍କୁ ଏହି ପବିତ୍ର ବସ୍ତ୍ରମାନ ପରିଧାନ କରାଅ। 15 ହାରୋଣଙ୍କୁ ଅଭିଷିକ୍ତ କଲାପରି ତାଙ୍କର ପୁତ୍ରମାନଙ୍କୁ ଅଭିଷିକ୍ତ କରାଅ। ଅଭିଷିକ୍ତ ହେଲା ପରେ ସେମାନେ ମୋର ଯାଜକ ରୂପେ କର୍ମ କରି ପାରିବେ। ସେହି ପରିବାର ଅନନ୍ତକାଳୀନ ମୋର ଯାଜକ ରୂପେ ସେବା କରିବେ।” 16 ମୋଶା ସଦାପ୍ରଭୁଙ୍କ ସମସ୍ତ ନିୟମ ମାନି ତାଙ୍କର ଆଜ୍ଞା ଅନୁଯାୟୀ କାର୍ଯ୍ୟମାନ କଲେ।

17 ଦ୍ୱିତୀୟ ବର୍ଷର ମାସର ପ୍ରଥମ ଦିନରେ ପବିତ୍ର ତମ୍ବୁ ସ୍ଥାପିତ ହୋଇଥିଲା। 18 ମୋଶା ତମ୍ବୁ ସ୍ଥାପନ କଲେ। ସେ ପ୍ରଥମେ ଆଧାର ଉପରେ ତକ୍ତା ବସାଇଲେ ଓ ତା’ପରେ ଅର୍ଗଳ ପ୍ରବେଶ କରାଇ ସ୍ତମ୍ଭ ଠିଆ କଲେ। 19 ଏହା ପରେ ସେ ବାହ୍ୟ ଆବରଣ ରୂପେ ଆବାସ ତମ୍ବୁକୁ ପବିତ୍ର ତମ୍ବୁ ଉପରେ ଘୋଡ଼ାଇ ଦେଲେ।

20 ଏହା ପରେ ମୋଶା ନିୟମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧ୍ୟରେ ରଖିଲେ। ସେ ସାଙ୍ଗୀକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡ଼ାଇ ଦେଲେ। 21 ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ। 22 ଏହା ପରେ ମୋଶା ପରଦା ବାହାରେ ସମାଗମ-ତମ୍ବୁର ଉତ୍ତର ପାର୍ଶ୍ୱରେ ମେଜ ରଖିଲେ। 23 ଏହା ପରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଦର୍ଶନୀୟ ରୋଟୀର ଆୟୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ଏହା କରାଗଲା। 24 ଏହା ପରେ ମୋଶା ଦୀପରୁଖା ସେହି ସମାଗମ-ତମ୍ବୁରେ ରଖିଥିଲେ। ଏହାର ମୁହଁ ଟେବୁଲ ଆଡ଼କୁ କରି ସେ ଦକ୍ଷିଣ ପାର୍ଶ୍ୱରେ ଏହାକୁ ରଖିଥିଲେ। 25 ଏହା ପରେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରେ ଦୀପରୁଖାରେ ଦୀପସବୁ ସଜାଇଲେ। ସେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

26 ଏହା ପରେ ମୋଶା ସୁବର୍ଣ୍ଣ ଯଜ୍ଞବେଦିକୁ ସମାଗମ-ତମ୍ବୁ ମଧ୍ୟରେ ରଖିଥିଲେ। ସେ ଏହି ଯଜ୍ଞବେଦିକୁ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ରଖିଥିଲେ। 27 ଏହା ପରେ ମୋଶା, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୁବାସିତ ଧୂପ ଏହା ଉପରେ ଜଳାଇଲେ। 28 ଏହା ପରେ ମୋଶା ପବିତ୍ର ତମ୍ବୁର ପ୍ରବେଶ ପଥରେ ଆଚ୍ଛାଦନ ବସ୍ତ୍ର ଟାଙ୍ଗିଥିଲେ।

29 ମୋଶା ପବିତ୍ର ତମ୍ବୁର ସମ୍ମୁଖରେ ବଳିଦାନ ପାଇଁ ଯଜ୍ଞବେଦି ରଖିଲେ ଏବଂ ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବ ଆଜ୍ଞାନୁସାରେ ହୋମବଳି ଓ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କଲେ।

30 ଏହା ପରେ ସେ ସମାଗମ-ତମ୍ବୁ ଓ ଯଜ୍ଞବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ ପାତ୍ର ରଖିଲେ ଓ ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଭର୍ତ୍ତି କଲେ। 31 ଏହା ପରେ ମୋଶା ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ। 32 ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ଯଜ୍ଞବେଦିର ନିକଟକୁ ଆସିଲେ, ସେ ସମୟରେ ସେମାନେ ହସ୍ତପଦ ପ୍ରକ୍ଷାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।

33 ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।

ସଦାପ୍ରଭୁଙ୍କର ମହିମା

34 ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। 35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ।

36 ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। 37 କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। 38 ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ।