Add parallel Print Page Options

ମିଶରରେ ଯାକୁବଙ୍କର ପରିବାର

ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ଯାତ୍ରା କଲେ। ପ୍ରତ୍ୟେକ ପୁତ୍ର ସେମାନଙ୍କର ପରିବାର ସହିତ ଗଲେ। ଇସ୍ରାଏଲଙ୍କର ପୁତ୍ରମାନେ ହେଲେ: ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ୍, ବିନ୍ୟାମୀନ, ଦାନ, ନପ୍ତାଲି, ଗାଦ୍ ଓ ଆଶେର। ମୋଟରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷେଫ ଆଗରୁ ମିଶରରେ ଥିଲେ।

ପରେ ଯୋଷେଫ ଓ ତାଙ୍କର ଭାଇମାନେ ତତ୍କାଳୀନ ସମସ୍ତ ଲୋକ ମଲେ। କିନ୍ତୁ ଇସ୍ରାଏଲର ବଂଶଧର ବଢ଼ିଲେ। ସେମାନଙ୍କ ସଂଖ୍ୟା ବଢ଼ି ବଢ଼ି ଗ୍ଭଲିଲା। ଇସ୍ରାଏଲର ଲୋକମାନେ ଅତ୍ୟଧିକ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ମିଶର ଦେଶ ଇସ୍ରାଏଲୀୟଙ୍କ ଦ୍ୱାରା ପରିପୂର୍ଣ୍ଣ ହେଲା।

ଇସ୍ରାଏଲୀୟ ଲୋକମାନଙ୍କର ଅସୁବିଧା

ଏହା ପରେ ଜଣେ ନୂତନ ରାଜା ମିଶରରେ ରାଜତ୍ୱ କଲେ। ସେହି ରାଜା ଯୋଷେଫଙ୍କୁ ଜାଣି ନ ଥିଲେ। ସେହି ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ ଦେଖ। ସେମାନଙ୍କର ସଂଖ୍ୟା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସେମାନେ ଆମ୍ଭମାନଙ୍କଠାରୁ ଅଧିକ ଶକ୍ତିଶାଳୀ! 10 ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି ସେଥିପାଇଁ ଆମ୍ଭମାନଙ୍କୁ ଯୋଜନା କରିବାକୁ ପଡ଼ିବ। ଯଦି ଯୁଦ୍ଧ ହୁଏ, ଇସ୍ରାଏଲୀୟମାନେ ଆମ୍ଭର ଶତ୍ରୁ ପକ୍ଷରେ ଯୋଗଦେଇ ପାରନ୍ତି। ତା’ପରେ ସେମାନେ ଆମ୍ଭମାନଙ୍କୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରି ପାରନ୍ତି।”

11 ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ [a] ଖାଦ୍ୟ ଶସ୍ୟ ରଖୁଥିଲେ।

12 ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସେମାନଙ୍କୁ ଯେତେ ଅଧିକ ପରିଶ୍ରମ କରାଇଲେ, ସେମାନଙ୍କର ସଂଖ୍ୟା ସେହିପରି ଅଧିକ ବ୍ୟାପିଲା। ଏହା ମିଶରୀୟ ଲୋକମାନଙ୍କର ଭୟର କାରଣ ହେଲା। 13 ତେଣୁ ମିଶରୀୟମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ।

14 ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ।

ଧାତ୍ରୀମାନେ ଯେକି ପରମେଶ୍ୱରଙ୍କୁ ଅନୁସରଣ କଲେ

15 ସେଠାରେ ଶିଫ୍ରା ଓ ପୂୟା ନାମକ ଦୁଇ ଜଣ ଏବ୍ରୀୟ ଧାତ୍ରୀ ଥିଲେ, ଯେଉଁମାନେ କି ଏବ୍ରୀୟା ସ୍ତ୍ରୀଲୋକମାନଙ୍କୁ ପିଲା ଜନ୍ମ କରିବାରେ ସାହାଯ୍ୟ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ, 16 “ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କର ପିଲା ଜନ୍ମ କରିବାରେ ସାହାଯ୍ୟ କରିବ, ପୁତ୍ର ସନ୍ତାନ ଥିଲେ ସେମାନଙ୍କୁ ମାରିଦେବ ଓ କନ୍ୟା ସନ୍ତାନ ହେଲେ ସେମାନଙ୍କୁ ଜୀବିତ ରଖିବ।”

17 ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନ ଥିଲେ। ସେମାନେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।

18 ମିଶରର ରାଜା ସେହି ଧାତ୍ରୀମାନଙ୍କୁ ଡକାଇ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏପରି କାହିଁକି କଲ? ତୁମ୍ଭେମାନେ କାହିଁକି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ?”

19 ଧାତ୍ରୀମାନେ ଫାରୋଙ୍କୁ କହିଲେ, “ଏବ୍ରୀୟା ସ୍ତ୍ରୀଗଣ ମିଶରୀୟ ସ୍ତ୍ରୀମାନଙ୍କଠାରୁ ବଳିଷ୍ଠା। ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରି ସାରିଥା’ନ୍ତି।” 20-21 ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ ଏବଂ ସେମାନଙ୍କର ପରିବାରଗୁଡ଼ିକୁ ବଢ଼ାଇଲେ। କାରଣ ସେମାନେ ପରମେଶ୍ୱରଙ୍କୁ ଡରୁ ଥିଲେ।

ଇସ୍ରାଏଲୀୟମାନଙ୍କ ସଂଖ୍ୟା ବଢ଼ିଲା ଏବଂ ବହୁତ ଶକ୍ତିଶାଳୀ ହେଲା। 22 ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”

Footnotes

  1. ଯାତ୍ରାପୁସ୍ତକ 1:11 ଫାରୋ ଏହା ମିଶରର ରାଜାମାନଙ୍କର ପଦବୀ। ଏହାର ଅର୍ଥ “ମହାନ ଗୃହ।”