Add parallel Print Page Options

ମନ୍ଦିର ନିର୍ମାଣ ନିମନ୍ତେ ଭେଟୀ

29 ଏକତ୍ରିତ ହୋଇଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, “ପରମେଶ୍ୱର ମୋର ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶଲୋମନ ଅଳ୍ପବୟସ୍କ ଅଟେ ଓ ଏହି କାର୍ଯ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ଆବଶ୍ୟକ, ସେ ତାହା ଜାଣେ ନାହିଁ? କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମୋର ସାଧ୍ୟମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦେଇଅଛି। ମୁଁ ରୌପ୍ୟରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରୌପ୍ୟ ଦେଇଅଛି। ମୁଁ ପିତ୍ତଳରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦେଇଅଛି। ମୁଁ ଲୌହର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦେଇଅଛି। ମୁଁ କାଠର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦେଇଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖୋଦନ କାର୍ଯ୍ୟ ପାଇଁ ଓ ଗୋମେଦକମଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ୟ ପ୍ରସ୍ତର ଓ ଶୁଭ୍ର ମାର୍ବଲ ପ୍ରସ୍ତର ଦେଇଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ମୁଁ ଏହି ପ୍ରକାର ଅନେକ ଅନେକ ସାମଗ୍ରୀ ଦେଇଅଛି। ମୁଁ ମୋର ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଏକ ବିଶେଷ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମୋର ପରମେଶ୍ୱରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତରେ ଗ୍ଭହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି। ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦେଇଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରୌପ୍ୟ ଦେଇଅଛି। ଏହି ରୌପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଧିଷ୍ଟ। ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ସକଳ ବସ୍ତୁ ନିମନ୍ତେ ମୁଁ ସୁବର୍ଣ୍ଣ ଓ ରୌପ୍ୟ ଦେଇଅଛି। ଦକ୍ଷ କାରିଗରମାନେ ଯେପରି ମନ୍ଦିର ନିମନ୍ତେ ସବୁ ପ୍ରକାରର ବସ୍ତୁ ନିର୍ମାଣ କରି ପାରନ୍ତି, ଏଥିନିମନ୍ତେ ମୁଁ ସୁବର୍ଣ୍ଣ ଓ ରୌପ୍ୟ ଦେଇଅଛି। ବର୍ତ୍ତମାନ, ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭେମାନେ କେତେଜଣ ଆଜି ନିଜକୁ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛ?”

ପରିବାରର ନେତାଗଣ, ଇସ୍ରାଏଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସେନାପତିଗଣ, ସେନାଧ୍ୟକ୍ଷଗଣ ଓ ରାଜାଙ୍କର କାର୍ଯ୍ୟନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସେମାନଙ୍କର ବହୁମୂଲ୍ୟ ବସ୍ତୁସବୁ ଦେଇ ଦେଲେ। ସେମାନେ ଏହି ସମସ୍ତ ବସ୍ତୁ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଦେଲେ: ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ଡାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ। ଯେଉଁ ଲୋକମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା, ସେମାନେ ତାହା ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଦେଲେ। ଯିହୀୟେଲ ସେହି ବହୁମୂଲ୍ୟ ପ୍ରସ୍ତରଗୁଡ଼ିକର ଯତ୍ନ ନେଲେ। ଯିହୀୟେଲ ଗେର୍ଶୋନ୍ ପରିବାରରୁ ଆସିଥିଲେ। ନେତାଗଣ ଆନନ୍ଦ ମଧ୍ୟରେ ଏତେ ପରିମାଣର ଦାନ ଦେଉଥିବାରୁ ଲୋକମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ଥିଲେ। ନେତାଗଣ ଉତ୍ତମ ହୃଦୟରେ ମୁକ୍ତ ଭାବରେ ଦାନ କରୁଥିଲେ। ରାଜା ଦାଉଦ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ଥିଲେ।

ଦାଉଦଙ୍କ ସୁନ୍ଦର ପ୍ରାର୍ଥନା

10 ଏହା ପରେ ଦାଉଦ ଏକତ୍ରିତ ହୋଇଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କଲେ। ଦାଉଦ କହିଲେ,

“ହେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର,
    ତୁମ୍ଭେ ଅନନ୍ତକାଳ ଓ ଚିରଦିନ ନିମନ୍ତେ ପ୍ରଶଂସିତ ହୁଅ।
11 ମହାନତା, ପରାକ୍ରମ, ମହିମା, ବିଜୟ ଓ ଗୌରବ ତୁମ୍ଭର ଅଟେ।
    କାରଣ ସ୍ୱର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷୟ ତୁମ୍ଭର ଅଟେ;
ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଅଟେ।
    ତୁମ୍ଭେ ହିଁ ସକଳ ବିଷୟର ମୁଖ୍ୟ ରୂପେ ପ୍ରଶଂସିତ ହୋଇଅଛ।
12 ଧନ ଓ ସମ୍ମାନ ତୁମ୍ଭଠାରୁ ଆସେ।
    ତୁମ୍ଭେ ସକଳ ବିଷୟକୁ ଶାସନ କର।
ତୁମ୍ଭର ହସ୍ତରେ ପରାକ୍ରମ ଓ ଶକ୍ତି ଅଛି ।
    ଆଉ ତୁମ୍ଭ ହସ୍ତରେ ଯେକୌଣସି ବ୍ୟକ୍ତିକୁ ମହାନ ଓ ପରାକ୍ରମୀ କରାଇବାର କ୍ଷମତା ଅଛି।
13 ବର୍ତ୍ତମାନ, ହେ ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ
    ଓ ତୁମ୍ଭ ଗୌରଯୁକ୍ତ ନାମର ପ୍ରଶଂସା କରୁଅଛୁ।
14 ଆମ୍ଭେମାନେ କିଏ ଯେ ଏପରି ସ୍ୱେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହେବୁ?
    ଏହି ସମସ୍ତ ବସ୍ତୁ ମୋ’ଠାରୁ କିଅବା ମୋର ଲୋକମାନଙ୍କଠାରୁ ଆସି ନାହିଁ।
    ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କେବଳ ତାହା ତୁମ୍ଭକୁ ଦେଇଅଛୁ।
15 ଆମ୍ଭେମାନେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କେବଳ ଅପରିଚିତ ଆଗନ୍ତୁକ ଅଟୁ
    ଓ ଏହି ପୃଥିବୀ ମଧ୍ୟରେ ଭ୍ରମଣ କରୁଅଛୁ।
ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ କେବଳ ଅତିକ୍ରାନ୍ତ ଛାୟା ତୁଲ୍ୟ।
    ଆମ୍ଭେମାନେ ତାହାକୁ ବନ୍ଦ କରି ନ ପାରୁ।
16 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ଏହି ସମସ୍ତ ବସ୍ତୁ ତୁମ୍ଭର ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକତ୍ର କରିଅଛୁ।
    ଆମ୍ଭେମାନେ ତୁମ୍ଭ ନାମକୁ ସମ୍ମାନ ଦେବା ନିମନ୍ତେ ଏହି ମନ୍ଦିର ନିର୍ମାଣ କରୁଅଛୁ।
କିନ୍ତୁ ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ,
    ଓ ସକଳ ବସ୍ତୁ ତୁମ୍ଭର ଅଟେ।
17 ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ,
    ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ।
ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି।
    ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି।
ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ
    ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
18 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷ
    ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲଙ୍କର ପରମେଶ୍ୱର ଅଟ।
ଅନୁଗ୍ରହ କରି ଯଥାର୍ଥ ବିଷୟ ଯୋଜନା କରିବାକୁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କର।
    ତୁମ୍ଭ ପ୍ରତି ଅନୁଗତ ଓ ବିଶ୍ୱସ୍ତ ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର।
19 ଆଉ, ମୋର ପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ସାହାଯ୍ୟ କର।
    ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ୟ ହେବା ନିମନ୍ତେ ତାହାକୁ ସାହାଯ୍ୟ କର।
ଶଲୋମନଙ୍କୁ ଏହି ସମସ୍ତ ବିଷୟ କରିବା ନିମନ୍ତେ ସାହାଯ୍ୟ କର
    ଓ ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥିରେ ତାହାକୁ ସାହାଯ୍ୟ କର।”

20 ଏହା ପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରିତ କରି କହିଲେ, “ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କର।” ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କଲେ, ଯେଉଁ ପରମେଶ୍ୱରଙ୍କ ଉପାସନା ସେମାନଙ୍କର ପୂର୍ବପୁରୁଷମାନେ ମଧ୍ୟ କରୁଥିଲେ। ସେମାନେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।

ଶଲୋମନ ରାଜା ହେଲେ

21 ପରଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବଳିଦାନ କଲେ। ସେମାନେ ସଦାପ୍ରଭୁଙ୍କୁ ହୋମବଳି ଅର୍ପଣ କଲେ। ସେମାନେ 1000 ବଳଦ, 1000 ଅଣ୍ଡିରା ମେଷ, 1000 ମେଷଶାବକ ଓ ପେୟନୈବେଦ୍ୟ ଉତ୍ସର୍ଗ କଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଅନେକ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ। 22 ସେହି ଦିନ ଲୋକମାନେ ସଦାପ୍ରଭୁଙ୍କ ସହିତ ଏକତ୍ର ଭୋଜନ ଓ ପାନ କରି ଅତି ଆନନ୍ଦିତ ହେଲେ।

ଆଉ, ସେମାନେ ଦାଉଦଙ୍କ ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ନିମନ୍ତେ ରାଜା କଲେ। ସେମାନେ ଶଲୋମନଙ୍କୁ ରାଜାରୂପେ ଅଭିଷିକ୍ତ କଲେ ଓ ସେମାନେ ସାଦୋକଙ୍କୁ ଯାଜକରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ସେମାନେ ଏହିପରି କଲେ।

23 ଏହା ପରେ ଶଲୋମନ ସଦାପ୍ରଭୁଙ୍କ ସିଂହାସନରେ ରାଜାରୂପେ ବସିଲେ। ଶଲୋମନ ତାଙ୍କ ପିତାଙ୍କ ସ୍ଥାନ ନେଲେ। ଶଲୋମନ ଅତ୍ୟନ୍ତ ସଫଳ ହେଲେ। ଇସ୍ରାଏଲର ସମସ୍ତ ଲୋକ ଶଲୋମନଙ୍କର ବାଧ୍ୟ ହେଲେ। 24 ସମସ୍ତ ନେତାଗଣ, ସୈନ୍ୟଗଣ ଓ ରାଜା ଦାଉଦଙ୍କର ପୁତ୍ରଗଣ ଶଲୋମନଙ୍କୁ ରାଜାରୂପେ ସ୍ୱୀକାର କଲେ ଓ ତାଙ୍କର ବାଧ୍ୟ ହେଲେ। 25 ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ କଲେ। ଇସ୍ରାଏଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ୍ତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇସ୍ରାଏଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।

ଦାଉଦଙ୍କ ମୃତ୍ୟୁ

26-27 ଯିଶୀଙ୍କ ପୁତ୍ର ଦାଉଦ ସମଗ୍ର ଇସ୍ରାଏଲ ଉପରେ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିଲେ। ଦାଉଦ ହିବ୍ରୋଣ ନଗରରେ ସାତ ବର୍ଷ ପର୍ଯ୍ୟନ୍ତ ରାଜା ଥିଲେ। ଏହା ପରେ ଦାଉଦ ଯିରୁଶାଲମ ନଗରରେ ତେତିଶ ବର୍ଷ ପର୍ଯ୍ୟନ୍ତ ରାଜା ଥିଲେ। 28 ଦାଉଦ ବୃଦ୍ଧ ହେବାରୁ ମୃତ୍ୟୁଭୋଗ କଲେ। ଦାଉଦ ଏକ ଉତ୍ତମ, ଦୀର୍ଘ ଜୀବନଯାପନ କରିଥିଲେ। ଦାଉଦ ଅନେକ ଧନସମ୍ପତ୍ତି ଓ ସମ୍ମାନର ଅଧିକାରୀ ହୋଇଥିଲେ ଆଉ ଦାଉଦଙ୍କ ପରେ ତାଙ୍କର ପୁତ୍ର ଶଲୋମନ ରାଜା ହେଲେ।

29 ରାଜା ଦାଉଦଙ୍କର କୃତ ସମସ୍ତ ବିଷୟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାମୁୟେଲ ଭବିଷ୍ୟ‌ଦ୍‌ବକ୍ତା, ନାଥନ ଭବିଷ୍ୟ‌ଦ୍‌ବକ୍ତା ଓ ଗାଦ୍ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲେଖାଯାଇଅଛି। 30 ଦାଉଦ ଇସ୍ରାଏଲର ରାଜା ରୂପେ ଯେଉଁ ସମସ୍ତ ବିଷୟ କରିଥିଲେ, ସେହି ଲେଖାଗୁଡ଼ିକ ତାହାର ବିବରଣୀ ପ୍ରଦାନ କରେ। ସେହି ଲେଖାଗୁଡ଼ିକ ଦାଉଦଙ୍କ ପରାକ୍ରମ ଓ ତାଙ୍କ ପ୍ରତି ଘଟିତ ସକଳ ବିଷୟ ବର୍ଣ୍ଣନା କରେ। ଆଉ ସେଗୁଡ଼ିକ ଇସ୍ରାଏଲ ଓ ତାହାର ଚତୁର୍ଦ୍ଦିଗରେ ଥିବା ରାଜ୍ୟଗୁଡ଼ିକ ପ୍ରତି ଘଟିଥିବା ସକଳ ବିଷୟ ବର୍ଣ୍ଣନା କରେ।