Add parallel Print Page Options

ଋଣ ଛାଡ଼ର ବିଶେଷ ବର୍ଷ

15 “ପ୍ରତି ସାତ ବର୍ଷର ଶେଷରେ, ତୁମ୍ଭେମାନେ ସମସ୍ତ ଋଣ ଛାଡ଼ କରିଦେବ। ଏହାର ବ୍ୟବସ୍ଥା ଏହିପରି ହେବ ଯେକେହି ଆପଣା ପ୍ରତିବାସୀକୁ କରଜ ଦେଇଛି ତାହା ସେ ଛାଡ଼ କରିଦେବ। ସେ ତା’ର ପଡ଼ୋଶୀଙ୍କୁ ଋଣ ପରିଶୋଧ ନିମନ୍ତେ ପଗ୍ଭରିବା ଉଚିତ୍ ନୁହଁ। କାରଣ ସଦାପ୍ରଭୁ ବ୍ୟବସ୍ଥା ଅନୁଯାୟୀ ସେ ଏହାକୁ ଋଣ ଛାଡ଼ର ବର୍ଷ ଘୋଷଣା କରିଛନ୍ତି। ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ଏହି ଋଣ ପରିଶୋଧ କରି ପାରିବ କିନ୍ତୁ ଆପଣା ଭାଇ ଇସ୍ରାଏଲୀୟବାସୀଙ୍କୁ ତାହା ଛାଡ଼ କରିଦେବ। ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି। କିନ୍ତୁ ଏପରି ହେବ ଯଦି ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭେମାନେ ସାବଧାନତା ସହକାରେ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହୁଅଛି ତାହା ପାଳନ କରିବ। ତେବେ ତାଙ୍କର ପ୍ରତିଜ୍ଞା ଅନୁସାରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭେମାନେ ଅନେକ ରାଷ୍ଟ୍ରମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭେମାନେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତୁମ୍ଭ ଉପରେ କେହି ଶାସନ କରି ପାରିବେ ନାହିଁ।

“ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ବାସ କରିବ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭେମାନେ ସ୍ୱାର୍ଥପର ହେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରିବ ନାହିଁ। ତୁମ୍ଭେ ସେମାନଙ୍କ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନୁସାରେ ତୁମ୍ଭେ ତାଙ୍କୁ ଯଥେଷ୍ଟ ରୂପେ ଋଣ ଦେବ।

“ଏପରି କାହାକୁ ଋଣ ଦେବାକୁ ମନା କର ନାହିଁ, ଯେହେତୁ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହୋଇଗଲାଣି ବୋଲି। ତୁମ୍ଭମାନଙ୍କ ମଧ୍ୟରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନୁହଁ। ସାବଧାନ ହୁଅ, ଗୋଟିଏ ନିଃଶ୍ୱ ଲୋକ ପ୍ରତି କୃପଣ ହୁଅ ନାହିଁ! କାରଣ ଯଦି ସେହି ବ୍ୟକ୍ତି ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକେ, ତେବେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବେଚନା କରାଯିବ।

10 “ତୁମ୍ଭେମାନେ ନିଶ୍ଚିତ ଭାବରେ ହୃଦୟର ସହିତ ତାଙ୍କୁ ଦେବା ଉଚିତ୍। ତାଙ୍କୁ ଦେବା ବେଳେ ତୁମ୍ଭେ କୁଣ୍ଠିତ ହେବା ଉଚିତ୍ ନୁହେଁ। କାରଣ ସେହି କର୍ମ ହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ବିଷୟରେ ଧ୍ୟାନ ଦିଅ, ସଦାପ୍ରଭୁ ସେଥିରେ ତୁମ୍ଭକୁ ଆଶୀର୍ବାଦ କରିବେ। 11 ଦେଶରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହୁଛୁ, ତୁମ୍ଭେମାନେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର।

କ୍ରିତଦାସମାନଙ୍କୁ ମୁକ୍ତ କରିଦେବା

12 “ତୁମ୍ଭେମାନେ ତୁମ୍ଭମାନଙ୍କର ସେବା କରିବା ପାଇଁ ଯେଉଁ ଏବ୍ରୀୟ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭେମାନେ ସେମାନଙ୍କୁ ଛଅ ବର୍ଷ ରଖିପାରିବ। କିନ୍ତୁ ସପ୍ତମ ବର୍ଷ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ମୁକ୍ତ କରିବ। 13 କିନ୍ତୁ ତୁମ୍ଭେମାନେ ଯେତେବେଳେ ତୁମ୍ଭର କ୍ରିତଦାସମାନଙ୍କୁ ମୁକ୍ତ କରିବ, ସେତେବେଳେ ସେମାନଙ୍କୁ ମୁକ୍ତ ହସ୍ତରେ ଯିବାକୁ ଦେବ ନାହିଁ। 14 ତୁମ୍ଭେମାନେ ସେମାନଙ୍କୁ ତୁମ୍ଭମାନଙ୍କର ପଶୁ ମଧ୍ୟରୁ କିଛି, କିଛି ଶସ୍ୟ ଏବଂ କିଛି ଦ୍ରାକ୍ଷାରସ ସେମାନଙ୍କୁ ଦେବା ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ୟରୁ କିଛି ନିଶ୍ଚିତ ଭାବରେ ସେମାନଙ୍କୁ ଦେବା ଉଚିତ୍। 15 ମନେରଖ, ଯେ ତୁମ୍ଭେମାନେ ମିଶର ଦେଶରେ ସମ୍ପୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୁକ୍ତ କଲେ। ଏଥିପାଇଁ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।

16 “କିନ୍ତୁ ଏପରି ହୋଇପାରେ କୌଣସି ଦାସ ତୁମ୍ଭକୁ ଏପରି କହିପାରେ, ‘ମୁଁ ତୁମ୍ଭକୁ ଛାଡ଼ିଯିବି ନାହିଁ।’ ସେପରି କହିପାରେ କାରଣ ସେ ତୁମ୍ଭ ନିକଟରେ ସୁଖରେ ଥାଇପାରେ। ସେ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରୁଥାଏ। 17 ତେବେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକୁ ଫୋଡ଼। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ଠିକ୍ ଏହିପରି କରିବା ଉଚିତ୍।

18 “ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ। କାରଣ ସେ ଛଅ ବର୍ଷ ଭିତରେ ଏକ ବେତନଜୀବିର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।

ପ୍ରଥମଜାତ ସନ୍ତାନଙ୍କ ପାଇଁ ନିୟମ

19 “ତୁମ୍ଭେମାନେ ଆପଣା ଗୋରୁ ପଲରୁ ଓ ମେଷ ପଲରୁ ଜନ୍ମ ହୋଇଥିବା ପ୍ରଥମ ଅଣ୍ତିରା ଛୁଆକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମଜାତକ ଦ୍ୱାରା କିଛି କର୍ମ କରିବ ନାହିଁ। ମେଷପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛେଦନ କରିବ ନାହିଁ। 20 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତି ବର୍ଷ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପସ୍ଥିତିରେ ତାହା ଭୋଜନ କରିବ।

21 “ଯଦି ସେହି ପଶୁଠାରେ କୌଣସି ଖୁଣ ଥାଏ, ଯଥା ସେ ଯଦି ଛୋଟା, କଣା କିମ୍ବା କୌଣସି ମନ୍ଦ ଖୁଣ ଯୁକ୍ତ ଥାଏ ତେବେ ତୁମ୍ଭେ ତାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରି ପାରିବ ନାହିଁ। 22 କିନ୍ତୁ ନିଜ ଫାଟକ ଭିତରେ ତୁମ୍ଭେମାନେ ତାକୁ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ଣସାର ଓ ହରିଣ ମାଂସ ଭୋଜନ କରିବାର ନିୟମ ଯାହା ଏହି ମାଂସ ଭୋଜନ କରିବାର ନିୟମ ଠିକ୍ ତାହା। 23 ତୁମ୍ଭେମାନେ କେବଳ ତା’ର ରକ୍ତ ଭୋଜନ କରି ପାରିବ ନାହିଁ। ତୁମ୍ଭେମାନେ ଜଳପରି ତାହାକୁ ଭୂମିରେ ଢାଳି ଦେବ।