Add parallel Print Page Options

କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।

48 ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
    ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
    ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
    ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
    ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
    କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
    ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
    ଓ ସେମାନେ ଭୟରେ ଥରି ଉଠିଲେ।
ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
    ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
    କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।

ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
    ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
    ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
    ଯିହୁଦାର ସହର ସବୁ ଉଲ୍ଲସିତ।
    କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
    ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
    ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
    ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
    ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।