Add parallel Print Page Options

ପରମେଶ୍ୱରଙ୍କର ଅବ୍ରାମଙ୍କ ସହିତ ଚୁକ୍ତି

15 ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”

କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।” ପୁଣି ଅବ୍ରାମ କହିଲେ, “ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ। ସେଥିପାଇଁ ମୋ’ ଗୃହର ଜଣେ ସଦସ୍ୟ ମୋର ଉତ୍ତରାଧିକାରୀ ହେବ।”

ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଦେଖ ସେହି ଦାସଟି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ। ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।”

ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”

ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ। ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ମୁଁ ସେହି ସଦାପ୍ରଭୁ, ଯିଏ ତୁମ୍ଭମାନଙ୍କୁ କଲଦୀୟମାନଙ୍କର ଊରଠାରୁ ଏହି ଦେଶ ତୁମ୍ଭକୁ ଦେବା ପାଇଁ ବାହାର କରି ଆଣିଲି।”

କିନ୍ତୁ ଅବ୍ରାମ କହିଲେ, “ହେ ସଦାପ୍ରଭୁ, ମୋର ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି?”

ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେ ଏକ ତିନି ବର୍ଷର ବାଛୁରି, ଗୋଟିଏ ତିନି ବର୍ଷର ମାଇ ଛେଳି, ଗୋଟିଏ ତିନି ବର୍ଷର ମେଣ୍ଢା, ଗୋଟିଏ କପୋତ ଏବଂ ଗୋଟିଏ ଯୁବା କପୋତ ମୋ’ ନିକଟକୁ ଆଣ।”

10 ସେ ସବୁକୁ ସେ ପରମେଶ୍ୱରଙ୍କ ନିକଟକୁ ଆଣିଲେ ଏବଂ ଦୁଇ ଖଣ୍ଡ କରି କାଟିଲେ, ଏବଂ ସେଗୁଡ଼ିକ ଦୁଇ ଧାଡ଼ିରେ ରଖି ପ୍ରତ୍ୟେକ ଅଧାର ଉପରେ ଆଉ ଅଧା ଯୁକ୍ତ ଚିହ୍ନ ଭାବରେ ରଖିଲେ। କିନ୍ତୁ ସେ ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ। 11 ଏହା ପରେ, ଅନ୍ୟ ବନ୍ୟ ପକ୍ଷୀ ସେହି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସେମାନଙ୍କୁ ଘଉଡ଼ାଇ ଦେଲେ।

12 ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିଲା ଅବ୍ରାମ ଘୋର ନିଦ୍ରାରେ ଶୋଇ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହୋଇଗଲେ। 13 ତା’ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ। 14 କିନ୍ତୁ ଯେଉଁ ଜାତିମାନେ ସେମାନଙ୍କୁ କ୍ରୀତଦାସ କରିବେ ସେମାନଙ୍କର ମୁଁ ବିଗ୍ଭର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସେମାନେ ସ୍ୱାଧୀନ ହେବେ।

15 “ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତିରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହେବ ଏବଂ ତୁମ୍ଭେ ବହୁତ ବୃଦ୍ଧ ବୟସରେ କବର ପ୍ରାପ୍ତ ହେବ। 16 ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।”

17 ସୂର୍ଯ୍ୟାସ୍ତ ପରେ, ଯେତେବେଳେ ଏହା ଘୋର ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ୱଳନ୍ତ ମଶାଲ ହଠାତ୍ ଦେଖାଗଲା ଏବଂ ତାହା ଦୁଇ ଧାଡ଼ିରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ୟଦେଇ ଗଲା।

18 ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି। 19 କେନୀୟମାନଙ୍କର, କନଜୀୟମାନଙ୍କର ଓ କ‌ଦ୍‌ମୋନୀୟମାନଙ୍କର ଭୂମି ଏହିସବୁ । 20 ହୀତ୍ତୀୟମାନଙ୍କର, ପରିଜୀୟମାନଙ୍କର ଓ ରଫାୟୀୟମାନଙ୍କର 21 ଇମୋରୀୟମାନଙ୍କର, କିଣାନୀୟମାନଙ୍କର, ଓ ଗିର୍ଗାଶୀୟମାନଙ୍କର ଓ ଯିବୂଷୀୟମାନଙ୍କର ଦେଶ ତୁମ୍ଭକୁ ଦେଲି।”